Unknown

 

 

 

 

 

 

 

 

 

 

 

 

ଘର କଥା

 

 

 

 

 

 

 

 

 

 

ଜଗତଟି ଅଟେ କରମମୟ ।

ଯେଉଁଠି ସୁକର୍ମ ସେଇଠି ଜୟ ।

ସୁଖେ ଯେବେ ଭବେ ହୋଇବ ଥୟ,

ଦେଶ ହିତେ ରଖ ସରବେ ଲୟ ।

 

 

 

 

 

 

 

 

ଉତ୍ସର୍ଗ

 

ଯେଉଁ ଭାଇମାନେ ମାତୃଭୂମିର କଲ୍ୟାଣ ସାଧନାଦ୍ଦେଶ୍ୟରେ ମନ, ପ୍ରାଣ ଢାଳି ଆତ୍ମୋତ୍ସର୍ଗ କରିବା ଲାଗି ବଦ୍ଧପତିକର ହୋଇଅଛନ୍ତି ବା ହେଉଅଛନ୍ତି, ସେହି ଭାଇମାନଙ୍କ ପବିତ୍ର ନାମରେ ଏହି କ୍ଷୁଦ୍ର ପୁସ୍ତିକାଖଣ୍ଡି / ଭକ୍ତି-ଉପହାରସ୍ୱରୂପ ଉତ୍ସର୍ଗୀକୃତ ହେଲା । ଇତି ।

 

ଉତ୍କଳ-ସେବକାଶ୍ରମ

ବିନୟାବନତ

୯। ୩ ।୧୮

ପ୍ରକାଶକ

Image

 

୧.

‘‘ଘର-କଥା’’ ନିତି ପଢ଼ିଲେ ଥରେ,

 

ଭାଗ୍ୟ-ଲକ୍ଷ୍ମୀ ଧୀରେ ଫେରନ୍ତି ଘରେ ।

୨.

ସୁଖ-ଶାନ୍ତି ଯେବେ କରୁଛ ଖୋଜା,

 

‘‘ଘର-କଥା’’ ନେଇ ସଭିଙ୍କି ବୁଝା ।

୩.

ସୁଖ-ବାଟ ଛାଡ଼ି ଯେ ହୁଏ ବଣା,

 

‘‘ଘର-କଥା’’ ନେଇ ତାହାକୁ ଶୁଣା ।

୪.

ଯାହା ସଙ୍ଗେ ଯାର ହେଉଛି ଦେଖା,

 

‘‘ଘର-କଥା’’ ନେଇ ସେଇଠି ପକା ।

୫.

ରହିବାକୁ ଯେବେ ସଂସାରେ ଚାହ,

 

‘‘ଘର-କଥା’’ ସଦା ସଭିଙ୍କି କହ ।

୬.

‘‘ଘର-କଥା’’ ଭାଇ ହୃଦରେ ଧର,

 

ଦୁର୍ଭିକ୍ଷ ଦେଶରେ ନ କରୁ ଘର ।

୭.

‘‘ଘର-କଥା’’ ବୁଝି କରିଲେ କାମ,

 

ବୈକୁଣ୍ଠ ହୋଇବ ଜନମ-ଧାମ ।

୮.

ବିଦେଶୀ ଚିଜକୁ ନ କର ଆଶା,

 

ଦୁର୍ଭିକ୍ଷ ନ କରୁ ଦେଶରେ ବସା ।

୯.

ଦେଶହିତେ ମାତ ଦେଶର ସ୍ୱତେ

 

ସୁଖ-ଘର-କଞ୍ଚି ଆସିବ ହାତେ ।

୧୦.

ଚିନ୍ତା ବାକ୍ୟ କାର୍ଯ୍ୟକର ପବିତ୍ର,

 

ଧରାଧାମେ ହୁଅ ଆଦର୍ଶ ପୁତ୍ର ।

୧୧.

ନିଜ ଗୋଡ଼ ନିଜେ ନ ହୋଇ ଠିଆ,

 

ଏଣେତେଣେ ଭୁଆଁ ବୁଲୁଛ କିଆଁ ?

୧୨.

ମାତୃଭୁମିସେବା ଛାଡ଼ିଲେ ବାବୁ,

 

ପୋଡ଼ି ଯିବ ବାବୁଗିଚଟି ସବୁ ।

୧୩.

ବାବୁଗିରି ପଛେ ଚୁଲିକି ଯାଉ,

 

ଦେଶର କଉଡ଼ି ଦେଶରେ ଥାଉ ।

୧୪.

ଦେଶର ଦରବ ଆଦର କର,

 

ଘରର କଉଡ଼ି ନ ଖାଉ ପର ।

୧୫.

ଦେଶ ଧନ ଦେଶେ ପାଚିଲେ ରଖି,

 

ଦାନା କନା ପାଇ ବଞ୍ଚିବେ ଦୁଃଖୀ ।

୧୬.

ଭାଇ ତଣ୍ଟି ଚିପି ପରକୁ ପୋଷ,

 

କାହିଁକି ଉତ୍ସନ୍ନ ନୋହିବ ଦେଶ ?

୧୭.

ପର ସବୁ ଘରୁ ନେଉଛି ଭିଡ଼ି,

 

ବଦଳେ ନ ଦିଏ କାଣି କଉଡ଼ି ।

୧୮.

ସମ୍ବଳ ଯାହାର ବିଦେଶୀ ଚିଜ,

 

ତାହା ଘରେ କାହୁଁ ମିଳିବ ପେଜ ?

୧୯.

ବିଦେଶୀ ଦରବ ଛଇରେ ଭୁଲି,

 

ଦେଶ ଧନ ଦୂରେ ନ ଦିଅ ପେଲି ।

୨୦.

ବିଦେଶୀ ଦରବ ବିଦେଶେ ତଡ଼,

 

ମହାକାଳ ଦେଖି ଭୁଲି ନ ପଡ଼ ।

୨୧.

ସୁଖେ ଯେବେ ଭାଇ କରିବ ଘର,

 

ଲୋଡ଼ା ଚିଜ ପାଇଁ ନ ଲୋଡ଼ା ପର ।

୨୨.

ପର ଚିଜ ସିନା ଅଟଇ ସସ୍ତା,

 

ଶେଷ କରେ କିନ୍ତୁ ବୀର ହୀନସ୍ତା ।

୨୩.

ଦେଶୀ ଚିଜ ସିନା ପଇସା ବେଶୀ,

 

ଦେଶ ଭାଇ ତହିଁ ହୁଅଇ ପୋଷି ।

୨୪.

ପର ଚିଜ ତେଣେ କିଣୁଛ ବୋଲି,

 

କୋଟି ଭାଇ ଏଣେ ହୁଅନ୍ତି ବୁଲି ।

୨୫.

ବେଶେ କଳାକନା ଗଲାଣି ବୁଲି,

 

ପର ଚିଜ ଦେଖି ନ ଯାଅ ଭୁଲି ।

୨୬.

ଶିଳ୍ପ ବାଣିଜ୍ୟରେ ନ ହେଲେ ରତ,

 

ଘରର କଉଡ଼ି ଖାଇବେ ଭୁତ ।

୨୭.

ଘର ବୁଡ଼ି ପାଣି ହେଲା ଆଣ୍ଠିଏ,

 

ଭାସ ନା ବିଦେଶୀ-ବିଳାସ-ପୁଏ ।

୨୮.

ବାରବାଟେ ଧନ ବିଦେଶେ ଗଲା,

 

ଦେଶକୁ ନ ଫେରେ ଫଟା ପାହୁଲା ।

୨୯.

ଘର ଧନ ଗଲା ଦରିଆ ଡ଼େଇଁ,

 

ପର ଚିଜ ପିନ୍ଧି ନ ଦେଖା ଛଇ ।

୩୦.

କର୍ମହୀନ ହୋଇ ନ ରହ ଶୋଇ,

 

କୁଳାଙ୍ଗାର ବୋଲି ନ କହୁ କେହି ।

୩୧.

ପର ଦେଲେ ଯହିଁ ଚଳଇ କାମ,

 

ବାବୁଗିରି ତହିଁ ନୁହେ କି ଢମ ?

୩୨.

ବିଳାସ-ଆଳସ୍ୟ-ଶେଯରେ ଶୋଇ

 

‘‘ଅକାଳକୁଷ୍ମାଣ୍ଡ’’ ନ ହୁଅ କେହି ।

୩୩.

ଦିବା ନିଶି କ୍ଷୁଦ୍ର ସ୍ୱାର୍ଥକୁ ଝୁରି

 

ଘୁଷୁରି ସଙ୍ଗରେ ନ ହୁଅ ସରି ।

୩୪.

ଦେଶ ହିତେ କାର୍ଯ୍ୟେ ନ କର କଳି,

 

ଭଗାରି ନ ମାରୁ ପଛରେ ତାଳି ।

୩୫.

ଧର୍ମ, ଧନ, ମାନ ଗଲାଟି ସବୁ,

 

ଧୋବ ଲୁଗା ପିନ୍ଧ ନ ବୋଲା ବାବୂ ।

୩୬.

ଦେଶପାଇଁ ଯେବେ ନ କାନ୍ଦେ ପ୍ରାଣ,

 

ପୋଡ଼ି ଯାଉ ଆଉ ସକଳ ଗୁଣ ।

୩୭.

ସବୁ ଜାଣି ଶୁଣି ଶୁଏ ଯେ ଚେଇଁ,

 

ଅତି ନିଉଁଛୁଣା ସଂସାରେ ସେହି ।

୩୮.

ସମ୍ବଳ ଯାହାର କେବଳ ତୁଣ୍ଡ,

 

ସେହି ପରା ଭବେ ଅଟଇ ଭାଣ୍ଡ ।

୩୯.

ଦେଶ କଥା ମନେ ନ ପଡ଼େ ଯାର,

 

ଜୀଇବା ମରିବା ସମାନ ତାର ।

୪୦.

ପୋଡ଼ି ଯାଉ ପଛେ ସକଳ ଛଇ,

 

ଭାଇ ବଞ୍ଚୁ ଦେଶେ ମୁଠାଏ ଖାଈ ।

୪୧.

ପରପଦତଳେ ସମସ୍ତ ଦେଲୁ,

 

ତୋହଠାରୁ ବଳି କେ ଅଛି ଓଲୁ ?

୪୨.

ମନେ ମନେ କେହି ନ ହୁଅ ଜଣେ,

 

ଖୋଜିଲେ ମିଳିବେ ସଂସାରେ ପଣେ ।

୪୩.

ଜୀବନ ନ କାଟ କରି ଗୋଲାମୀ,

 

ପୂଜ ନିତି ନିଜ ଜନମଭୂମି ।

୪୪.

ହୁଅ ନାହିଁ ତୁଚ୍ଛା କରମକୋଢ଼ୀ,

 

ଜନ୍ମ-ସ୍ୱତ୍ୱ କେହି ନ ନେଉ କାଢ଼ି ।

୪୫.

ଉଚ୍ଚ ଶିକ୍ଷା ଲଭି ଦାସତ୍ୱ ପାଇଁ,

 

ହାଇଁପାଇଁ କେହି ନ ହୁଅ ଭାଇ ।

୪୬.

ଦେଶ କଥା କଣ ଶୁଣିବୁ ଭାଇ,

 

ନିଜ ‘ମାଆ’ ଆଜି ପରର ଧାଇ ।

୪୭.

ମାଟି, ଚୁଟି, ରୁଟି ପରର ହାତେ,

 

ହାତରେ ନ ମରି ମଲୁଣୀ ଭାତେ ।

୪୮.

ରଖିଥିଲା ‘ମାଆ’ ଯେତେକ ପୁଞ୍ଜି,

 

ଖଣି ଖୋଳି ପର ନେଲେଣି ଖୋଜି ।

୪୯.

ଦେଶ-ଧନେ ପର ପିଟନ୍ତି କୋଠା,

 

ନିଜ ଘରେ ନାହିଁ ଭାତ ଦି’ ମୁଠା ।

୫୦.

ଘର-ଧନେ ପର ମାରନ୍ତି ମଜା,

 

ପେଟପାଇଁ ଏଣେ ଚାଉଳ ଖୋଜା ।

୫୧.

ମନଇଚ୍ଛା ପର ଲୁଟନ୍ତି ଧନ,

 

ଯେହ୍ନେ ଏ ଦେଶଟା ‘‘ବାପ-ଓଢ଼ନ’’ !

୫୨.

ନିଜ ଘରେ ଆସି ହେଲୁଣି ପର,

 

ଜନ୍ମ-ସ୍ୱତ୍ୱ ସୁଦ୍ଧା ନାହିଁ କାହାର ।

୫୩.

ଦେଶ-ଧନ ପର ଲୁଟିଲେ ନିତି,

 

ଯାହ୍ନେ ଏ ଦେଶଟା ବାପାଙ୍କ ଥାତି ।

୫୪.

ଆମର ଖାଇଣ ଅଣ୍ଟାକୁ କସି,

 

ତଣ୍ଟି ଚିପେ ପର ଛାତିରେ ବସି ।

୫୫.

ଦାନା ବିନା ଘୋଟେ ନାନାଦି ରୋଗ,

 

ପଡ଼ିଲାଣି ଆସି ମରଣ ଯୋଗ ।

୫୬.

ସାତ ପର ନିଏ ସକଳ ବୋହି

 

ଜଳ ଜଳ ସିନା ଥିବୁଟି ଚାହିଁ ?

୫୭.

ପରର ଅଇଁଠା ଗୋଇଠା ଖାଇ

 

ଥିବା ସିନା ଭାଇ ସନ୍ତୁଷ୍ଟ ହୋଇ ।

୫୮.

ଉଚ୍ଚ ଆଶା ଯଦି ଗୋଲାମ-ଗିରି,

 

ଦେଶକଥା କିମ୍ପା ନ ଯିବ ସରି ?

୫୯.

ଜାତୀୟ ପାଣ୍ଠିକି କେବଳ ମୁଠି,

 

ଆତ୍ମରକ୍ଷା ପାଇଁ ସମ୍ବଳ ଲାଠି ।

୬୦.

ନିଜ ଗୋଡ଼େ ନିଜେ ହେବାକୁ ଛିଡ଼ା,

 

‘‘ସ୍ୱଦେଶୀ’’ ‘‘ସ୍ୱରାଜ’’ ଉଭୟେ ଲୋଡ଼ା ।

୬୧.

ବିଦେଶୀ ଲୋକଙ୍କ ‘ସ୍ୱଦେଶୀ’ ଲୁଣ

 

ସବୁକାଳେ ଭାଇ କରଇ ଗୁଣ ।

୬୨.

ପଡ଼ିବାରୁ ପର ଚିଜରେ ଭୁଲି,

 

ତିନି ଦିନେ ଆଜି ନ ଜଳେ ଚୁଲି ।

୬୩.

ଟଙ୍କା, ସୁନା, ରୂପା, ଧାନ, କଉଡ଼ି,

 

ଘରୁ ଝାଡ଼ି ପର ନେଉଛି ରଡ଼ି ।

୬୪.

କିଛି ନାହିଁ ଦେଶେ ନିଜର ବୋଲି,

 

ଯେଣେ ଅନା ତେଣେ ବିଦେଶୀ ଖାଲି ।

୬୫.

ଧାନ ସୁଦ୍ଧା ଗଲା ଦରିଆ ଡେଇଁ,

 

ବଞ୍ଚିବା କି ଭାଇ ଅଗାଡ଼ି ଖାଇ ?

୬୬.

ଦେଶୀ-ଶିଳ୍ପ-ଗଲେ ବସାଇ ଶୂର

 

ସବୁ ଲୋଡ଼ା ଚିଜ ଯୋଗାଏ ପର ।

୬୭.

କାଚ, ଗିଲ୍ଟି, ଟିଣ, କଲେଇ ଚିଜ,

 

ସାରିଲାଟି ଆସି ହାଣ୍ଡିରୁ ପେଜ ।

୬୮.

ସାତପର ପୁଣି ଦେଲେଣି ଡାକ,

 

‘‘ବାଜରା’’ ଖାଇଣ ନିବାର ଭୋକ ।

୬୯.

କଂସାରି, କୁମାର, ତନ୍ତି, ଅଟାଚି,

 

‘ହା ଅନ୍ନ’ ‘ହା ଅନ୍ନ’ ଛାଡ଼ନ୍ତି ହୁରି ।

୭୦.

ଚଷା ଚାଷି ଘରେ ପଉଷ ମାସେ,

 

କେହି କି କେବେ ରେ ଉପାସେ ବସେ ?

୭୧.

ନିଆଁ ପାଣି ସୁଦ୍ଧା ହେଲାଣି କିଣା,

 

ଜଣା ପଡ଼ିଲାଣି ଘରକରଣା ।

୭୨.

ସବୁ ସାର ପର ନେଲେଣି କୋରି,

 

ଅଛୁ ହାତି-ଖିଆ କଇଁଥ ପରି ।

୭୩.

ଯେ ଦେଶେ ସମ୍ବଳ ବିଦେଶୀ ଚିଜ,

 

ସେ ଦେଶେ କାହୁଁରେ ମିଳିବ ପେଜ ?

୭୪.

ଗିଲିଟି ନେବାକୁ ଦିଏ ଯେ ସୁନା,

 

ତାହା ଘର କିପା ନୋହିବ ଚୂନା ?

୭୫.

କନା ବଦଳରେ ଦିଏ ଯେ ସୁନା,

 

ତାହା ଘରେ କାହୁଁ ରହିବ ଦାନା ?

୭୬.

ଭାଇ ତଣ୍ଟି ଚିପି ପରକୁ ପୋଷ,

 

କାହିଁକି ଉତ୍ସନ ନୋହିବ ଦେଶ ?

୭୭.

ଦେଶ ଧନ ଦୂରେ ନ ଦିଅ ଆଉ,

 

ଦି’ ବେଳା ଦି’ମୁଠା ଭାଇଟା ଖାଉ ।

୭୮.

କିଣିଲା ବେଳରେ ବିଦେଶୀ ଚିଜ,

 

ଶିଳ୍ପୀ ଭାଇ ଦୁଃଖ ଟିକିଏ ହେଜ ।

୭୯.

ମଶାଣି ହେଉଛି ଜନମଭୂଇଁ,

 

ପର ଚିଜ ଆଉ ନ ଯାଅ ଛୁଇଁ ।

୮୦.

ଖୋଜ ନାହିଁ ତୁଚ୍ଛା ନିଜର ସୁଖ,

 

ତିଳେ ହେଲେ ଭାଳ ଦେଶର ଦୁଃଖ ।

୮୧.

ଛୁଞ୍ଚୀ ଲୁହାକଣ୍ଟା ବିଦେଶୁଁ ଆଣ,

 

ଛି ଛି ଲାଜ କଥା, କାହିଁକି ଟାଣ ।

୮୨.

ଦେଶ-ଶିଳ୍ପ ସବୁ ଉତ୍ସନ୍ନ ଯହିଁ,

 

ଧନ-ବଳ କାହୁଁ ହେବରେ ତହିଁ ?

୮୩.

ଲୋଡ଼ା ଚିଜ ପାଇଁ ଖୋଜିଲେ ପର,

 

ନିରନ୍ନ ନିର୍ଧନ ହୋଇବ ଘର ।

୮୪.

ବିଦେଶୀ ଚିଜରେ ନ ହୁଅ ରତ,

 

ଉଭେଇ ନ ଯାଉ ହାଣ୍ଡିରୁ ଭାତ ।

୮୫.

ରହିବା ଯେବେ କି ନିଶ୍ଚେଷ୍ଟ ହୋଇ,

 

‘‘ଭୋଗ’’ ପରି ପର ଦେବେଟି ପାଇ ।

୮୬.

ତୁଣ୍ଡକଥା କାଲ ଯାଇଛି ଖସି,

 

କର୍ମ କଲା ବେଳେ ପଡ଼ିଛି ଆସି ।

୮୭.

ନିଜ ଦେଶ-ସେବା ନ କରି ଭାଇ

 

ହେବା କି ପରର ଦୁହାଳ ଗାଈ ?

୮୮.

ଅଛି ଯେବେ କିଛି ସୁଖର ଆଶା,

 

ଦେଶ ସେବା କର ନିଜର ପେଶା ।

୮୯.

ଦେଶ-ସ୍ୱାର୍ଥ ଯହିଁ ରହିଛି ବାବୁ,

 

ନୀଚ ସ୍ୱାର୍ଥ ତହିଁ ଭୁଲଟି ସବୁ ।

୯୦.

ଯାହା ଲାଗି ଦେଶ ଏତେ ସରିକି,

 

ଧିକ ଧିକ ସେହି ବାବୁଗିରିକି ।

୯୧.

ନିମ୍ନ-ଶ୍ରେଣୀ-ରକ୍ତ ବାବୁଙ୍କ ଘରେ

 

ଜମା ହୋଇ ଶେଷେ ଯାଉଛି ଦୂରେ ।

୯୨.

ନ ଖାଇ ନ ପିଇ ମରୁଛି ଭାଇ,

 

ପର ଚିଜ ନାଇ ନ ଦେଖା ଛଇ ।

୯୩.

ନିଜ ଘରେ ତୁଚ୍ଛ କରିଣ କଳି

 

ପର ପାଖେ ଯାଇଁ ନ ହୁଅ ଛେଳି ।

୯୪.

ନ ଚିହ୍ନିଲୁ ଯେବେ ଜନମମାଟି,

 

ତେବେ ତୋର ଜ୍ଞାନ ଖାଉଥା ଚାଟି ।

୯୫.

ଉଚ୍ଚ ଶିକ୍ଷା ଲାଭ ନ ଖୋଜେ ଦେଶ,

 

ବୁଦ୍ଧି ବିଦ୍ୟା ତାର ଚାଳରେ ଖୋଷ ।

୯୬.

ଧନୀ ଜ୍ଞାନୀ ପଦ ଲଭିଛ ବୋଲି

 

ଭଦ୍ରତା ଯେପରି ନ ଯାଅ ଭୁଲି ।

୯୭.

ହୋଇ ଥାଅ ପଛେ ପୁରୁଣା ରାଢ଼,

 

ଦେଶପାଇଁ କିଛି ଅଣ୍ଟାରୁ କାଢ଼ ।

୯୮.

ଭାଇରେ ଭାଇରେ ନ ରଖ ଭେଦ,

 

ଚାଖ ଥରେ ଭଲା ଏକତା-ସ୍ୱାଦ ।

୯୯.

ସୁଲକ୍ଷ ରଖିଣ କଲେଟି କାମ,

 

ବୈକୁଣ୍ଠ ହୋଇବ ଜନମ-ଧାମ ।

୧୦୦.

ବିଶ୍ୱମାତା କହେ ଶୁଣରେ ପୁଅ,

 

ନିଜ ଦେଶ ସେବି ମୋ ସ୍ନେହ ପାଅ ।

Image